September 12, 2024

Odia Express

Leading Odia News Portal of Odisha

ମ୍ୟାଲେରିଆ ସଂକ୍ରମଣରେ ଲୋକ ଛାନିଆ, ରୁହନ୍ତୁ ସତର୍କ।

ଓଡ଼ିଶାର କେତେକ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବଢୁଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଚାକିଡି ଗ୍ରାମ ପଂଚାୟତରେ ମ୍ୟାଲେରିଆ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରିବେଡା, ଜାରକାଣି, ଭାଦୁଆକଚା ଭଳି ଅନେକ ଗାଁରେ ଅଧିକରୁ ଅଧିକ ମ୍ୟାଲେରିଆ ବ୍ୟାପୁ ଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।

ସମୁଦାୟ ଅଞ୍ଚଳର ପାଖାପାଖି ୭୦ ପ୍ରତିଶତ ଭାଗ ଏହି ମ୍ୟାଲେରିଆ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ସାରିଲାଣି। କିନ୍ତୁ ଏହାର ନିରାକରଣ ନିମନ୍ତେ କୌଣସି ଅଧିକାରୀ ନାହାନ୍ତି। ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନାହିଁ। ହେଲେ ସେହି ଅଞ୍ଚଳରେ ଆଶା ଦିଦି ଖବର ପାଇ ପ୍ରତ୍ୟେକ ଘର ଘର ବୁଲି କିଟ୍ ଧରି ପହଞ୍ଚି ଯାଇ ସେବା କରୁଛନ୍ତି।

ଆଶା ଦିଦି ଜାଉନା ସୋରେନ୍ ପ୍ରତ୍ୟେକ ଘର ବୁଲି ମ୍ୟାଲେରିଆ ନିରାକରଣ ପାଇଁ ସେବା ଯୋଗାଉଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କେବଳ କିଟ୍ ଏବଂ ଔଷଧ ଯୋଗାଇ ଦେଇ ନିଜ ମୁଣ୍ଡରୁ ଦାୟିତ୍ବ ଓହ୍ଲାଇ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଆଶା ଦିଦିଙ୍କା କହିବା ଅନୁସାରେ ଗତ ମାସରେ ୨୭ ଟି ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଚଳିତ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଟି ରୋଗୀ ଏହି ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି। ଜଣେ ରୋଗୀ ନିଜେ କହିଛନ୍ତି ଯେ, ତାଙ୍କୁ ଗତ ସପ୍ତାହ ହେବ ଜ୍ଵର ହେଲାଣି ଏବଂ ଜ଼ଏ ଆଶା ଦିଦି ଦେଇଥିବା ଔଷଧ ସେବନ କରୁଛନ୍ତି।

ବାଙ୍ଗିରପୋଷିସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମ୍ୟାଲେରିଆ ନିରାକରଣ ଅଧିକାରୀକେବଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ନିଜର କାର୍ଯ୍ୟ ତୁଲାଇ ଥାଆନ୍ତି। ମାତ୍ର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ତାଙ୍କର ଦେଖା ନ ଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୌଣସି ଡାକ୍ତର ଗାଁକୁ ଆସୁ ନାହାନ୍ତି। ଆଶା ଦିଦି କେବଳ ସବୁକିଛି ବୁଝାବୁଝି କରି ଔଷଧ ଦେଉଛନ୍ତି। ଏହି ଅଞ୍ଚଳରେ ହେଉଥିବା ମ୍ୟାଲେରିଆ ରୋଗର ସଂକ୍ରମଣ ଉପରେ ରୋକ ଲଗାଇବା ଲାଗି ଗୁହାରି କରିଛନ୍ତି ଅଞ୍ଚଳବାସୀ। ତେବେ ଆପଣଙ୍କ ଘର ଯେଉଁଠି ବି ହେଉ ନା କାହିଁକି ଆପଣ ସଦା ସର୍ବଦା ସତର୍କତା ଅବଲମ୍ବନ କରନ୍ତୁ। ମଶାରୀ ଟାଙ୍ଗି ଶୁଅନ୍ତୁ, ଘର ସଫା ରଖନ୍ତୁ ଏବଂ ଘର ଚାରି ପାଖ ବି ସଫା ରଖନ୍ତୁ, ପାଣି ଜମିବାକୁ ଦିଅନ୍ତୁ ନାହିଁ।