September 11, 2024

Odia Express

Leading Odia News Portal of Odisha

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ! ବାରବାଟୀ ରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ !

୫ ବର୍ଷ ପରେ ବାରବାଟୀ ଷ୍ଟାଡିୟମକୁ ଫେରିଲା ଆନ୍ତର୍ଜାତୀୟ ମ୍ୟାଚ !ଓଡିଶା କ୍ରିକେଟ ପ୍ରେମୀ ଙ୍କ ପାଇଁ ଖୁସି ଖବର,ଦୀର୍ଘ ୫ ବର୍ଷ ପରେ କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଯାହାକି ଓଡିଶାର କ୍ରୀଡାପ୍ରେମୀମାନଙ୍କ ପାଇଁ ସନ୍ତୋଷଜନକ ଖବର । ବିସିସିଆଇ ଗୁରୁବାର ଜାରୀ କରିଥିବା ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ ସିରିଜ କାର୍ଯ୍ୟସୂଚୀରେ ଏହା ସ୍ପଷ୍ଟ ହୋଇଛି । ୨୨ ଡିସେମ୍ବର ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପରଠାରୁ ଏଠାରେ ଆଉ କୌଣସି ଆନ୍ତର୍ଜାତୀୟ ମୁକାବିଲା ଆୟୋଜିତ ହୋଇନି ।

ଆଜି ବିସିସିଆଇ ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍‌ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି । ଏହି ଘରୋଇ ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଆସିବେ । ସିଜିନ ପ୍ରାରମ୍ଭରେ ବାଙ୍ଗଲାଦେଶ ପ୍ରଥମେ ୨ ଟି ଟେଷ୍ଟ ଖେଳିବା ସହ ୩ ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିବ । ଏହା ପରେ ନ୍ୟୁଜିଲ୍ୟାଣ୍ଡ ଆସି ୩ ଟିକିଆ ଟେଷ୍ଟ ସିରିଜ ଖେଳିବ । ସେହିଭଳି ଇଂଲଣ୍ଡ ୫ଟି ଟି -୨୦ ଓ ୩ ଟି ଦିନିକିଆ ସିରିଜ ଖେଲିବାକୁ ଆସିବ । ଏଯାବତ ବାରବାଟୀରେ ୨ଟି ଟେଷ୍ଟ, ୧୯ ଟି ଦିନିକିଆ ଓ ୨ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି ।

ଆସନ୍ତା ବର୍ଷ ଫେବୃଆରୀ ୯ ତାରିଖରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଇଂଲଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।ଏହାପୂର୍ବରୁ ମଧ୍ୟ ଭାରତୀୟ ଟିମ ବାରବାଟୀରେ ୨୦୧୭ରେ ଇଂଲଣ୍ଡକୁ ହରାଇଥିଲା। ଉକ୍ତ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଓ ଯୁବରାଜ ସିଂହ ଶତକ ହାସଲ କରିଥିଲେ। ଭାରତୀୟ ଟିମ ବାରବାଟୀରେ ୧୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଛି। ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ । ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ଘୋଷଣା କରିଥିବା ଫିକ୍ସରରୁ ଏହା ଜଣା ପଡ଼ିଛି । କହିବାକୁ ଗଲେ ପାଖାପାଖି ପାଞ୍ଚ ବର୍ଷ ପରେ ଏଠାରେ ମ୍ୟାଚ୍ ଖେଳାଯିବ ।

ସେହିପରି ଉଭୟ ଦଳଙ୍କ ମଧ୍ୟରେ ନାଗପୁରରେ ପ୍ରଥମ ଦିନିକିଆ ମ୍ୟାଚ ହେବାକୁଥିବାବେଳେ କଟକ ଓ ଅହମଦାବାଦରେ ଦ୍ଵିତୀୟ ଏବଂ ତୃତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ।ବାରବାଟୀ ଷ୍ଟାଡିୟମରେ ଶେଷ ଥର ପାଇଁ ୨୦୨୨ ମସିହା ଜୁନ୍ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହାପୂର୍ବରୁ ୨୦୧୯ ମସିହା ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏଠାରେ ଶେଷ ଦିନିକିଆ ମ୍ୟାଚ ଖେଳାଯାଇଥିଲା।

Leave a Reply

Your email address will not be published. Required fields are marked *